ଏଟିଏମ୍କୁ ଟଙ୍କା ଉଠାଇବାକୁ ଯାଇ ଯଦି ହାତରେ କ୍ୟାସ୍ ବଦଳରେ ମିଳିଯାଏ ହେୟାର କଟ୍…! ଶୁଣିଲେ ଅଜବ ଲାଗୁଥିବ ନିଶ୍ଚୟ। କିନ୍ତୁ ଏମିତି ଏକ ମଜାଦାର ଘଟଣା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ବାହାରୁ ଦେଖିଲେ ପୂରା SBI ATM, ହେଲେ ଭିତରକୁ ପଶିଲେ ଚାଲିଛି ଚୁଟି କଟା। ପାଟନାର ଏହି ‘ATM ସେଲୁନ୍’ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ।ବୁଲୁଛି କଇଁଚି… ଚାଲିଛି ହେୟାର ଡ୍ରାୟର… ତଳେ ପଡ଼ିଛି ଗଦା ଗଦା ଚୁଟି। ଦୃଶ୍ୟ ଦେଖି ଲାଗୁଛି ସାଧାରଣ ସେଲୁନ୍। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି—ଏହା ହେଉଛି ଏକ ATM ଭିତରର ଦୃଶ୍ୟ।
ପାଟନା ଦାନାପୁରରେ ଥିବା ଏହି ATM ବାହାରୁ ଦେଖିଲେ ଲାଗୁଛି ସମ୍ପୂର୍ଣ୍ଣ ଚାଲୁଥିବା SBI ATM। ଲୋକମାନେ ପକେଟରୁ କାର୍ଡ ବାହାର କରି ଟଙ୍କା ଉଠାଇବା ଆଶାରେ ଭିତରକୁ ପଶୁଛନ୍ତି। କିନ୍ତୁ ଭିତରକୁ ଯାଇଦେଖୁଛନ୍ତି—କ୍ୟାସ୍ କାଉଣ୍ଟର ନୁହେଁ, ଚାଲିଛି ହେୟାର କଟ୍।
ସୂଚନା ଅନୁସାରେ, ପୂର୍ବରୁ ଏଠାରେ SBIର ATM ଚାଲୁଥିଲା। ପରେ ATM ବନ୍ଦ ହୋଇଯାଇଥିବାରୁ ମାଲିକ ଏହାକୁ ଭଡ଼ାରେ ଦେଇଥିଲେ। ହେଲେ ନୂଆ ଭଡ଼ାଟିଆ ATMର ବୋର୍ଡ ନ ହଟାଇ ଏଠି ସେଲୁନ୍ ଖୋଲିଦେଇଥିଲେ। ଫଳରେ ଏବେ ଲୋକମାନେ ଭ୍ରମରେ ପଡ଼ୁଛନ୍ତି।
ମାଲିକଙ୍କ କହିବା ଅନୁସାରେ, ପ୍ରତିଦିନ ଅନେକ ଲୋକ କାର୍ଡ ନେଇ ଟଙ୍କା ଉଠାଇବାକୁ ଭିତରକୁ ପଶୁଛନ୍ତି। ପରେ ସେଲୁନ୍ ଦେଖି ହସି ହସି ଫେରିଯାଉଛନ୍ତି। କେହି କେହି ତ ମଜାରେ କହୁଛନ୍ତି—‘ଏହା ଦୁନିଆର ପ୍ରଥମ କ୍ୟାସ୍-ଲେସ୍ ସେଲୁନ୍’।
ସୋସିଆଲ ମିଡିଆରେ ଏହି ATM ସେଲୁନ୍ର ଭିଡିଓ ଭାଇରାଲ ହେବା ପରେ ଏବେ ଏହା ପାଟନାର ଏକ ନୂଆ ସେଲଫି ପଏଣ୍ଟ ହୋଇପଡ଼ିଛି। କେହି ଏହାକୁ ‘କଟିଂ ATM’ କହୁଛନ୍ତି, ତ କେହି କହୁଛନ୍ତି—‘ଏଠି କ୍ୟାସ୍ ନୁହେଁ, ମିଳେ ଷ୍ଟାଇଲ୍’।
ଟଙ୍କା ଉଠାଇବାକୁ ଯାଇ ଯଦି ହେୟାର ଷ୍ଟାଇଲ୍ ମିଳିଯାଏ… ତାହେଲେ ଏମିତି ATMକୁ ଆପଣ କଣ ନାଁ ଦେବେ? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।

