ଓଡ଼ିଶାରେ ପୁଣି ବଦଳୁଛି ପାଗ। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସମ୍ଭାବନା ଥିବାବେଳେ ରାଜ୍ୟର ୨୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଓ ୫୦ କିମି ବେଗରେ ପବନ ବହିପାରେ। ସେପଟେ ଏଥର ସ୍ୱାଭାବିକ ସମୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଶା କରାଯାଉଛି।ସପ୍ତାହର ଶେଷ ସୁଦ୍ଧା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଅଞ୍ଚଳରେ ମୌସୁମୀ ସକ୍ରିୟ ହେଉଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ଯଦିଓ ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନଥିବା କୁହାଯାଇଛି, ତଥାପି କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିବ।
ବିଜୁଳି ଘଡଘଡି ସହ ୩୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ୧୩ ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ଝଡ଼ୋ ପବନ ପାଇଁ ସତର୍କତା ଜାରି ରହିଛି।
ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ତେବେ ୧୮ ତାରିଖରୁ ପୁଣି ରାଜ୍ୟରେ ତାତି ବଢ଼ିବା ସମ୍ଭାବନା ରହିଛି।ତେଣୁ ବଜ୍ରପାତ ଓ ଝଡ଼ୋ ପବନ ସମୟରେ ସତର୍କ ରୁହନ୍ତୁ। ବିଶେଷ କରି ଗଛ ତଳେ କିମ୍ବା ଖୋଲା ସ୍ଥାନରେ ରହିବାରୁ ବଚନ୍ତୁ। ପାଣିପାଗର ପ୍ରତ୍ୟେକ ଅପଡେଟ୍ ପାଇଁ ଆମ ସହିତ ଯୁକ୍ତ ରୁହନ୍ତୁ।

