ଆଇପିଏଲ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ଧମାକା। ଚେନ୍ନାଇ ସୁପର କିଙ୍ଗସର ବ୍ୟାଟର ଉର୍ଭିଲ୍ ପଟେଲ ରବିବାର ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଖେଳିଛନ୍ତି ଏକ ଅବିଶ୍ୱସନୀୟ ଇନିଂସ। ମାତ୍ର ୧୩ଟି ବଲ୍ରେ ଅର୍ଦ୍ଧଶତକ ହାସଲ କରି ସେ ଆଇପିଏଲ୍ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି।ଆଇପିଏଲ୍ ମଇଦାନରେ ଉର୍ଭିଲ୍ ପଟେଲଙ୍କ ବ୍ୟାଟରୁ ବର୍ଷିଛି ରନ୍। ୨୭ ବର୍ଷୀୟ ଏହି ତାରକା ବ୍ୟାଟର ମାତ୍ର ୧୩ଟି ବଲ୍ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହାସହ ସେ ୨୦୨୩ରେ ଯଶସ୍ୱୀ ଜୈସୱାଲଙ୍କ ଦ୍ୱାରା ସ୍ଥାପିତ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡର ସମକକ୍ଷ ହୋଇଛନ୍ତି। ଉର୍ଭିଲ୍ଙ୍କ ଏହି ଇନିଂସରେ ୭ଟି ଗଗନଚୁମ୍ବୀ ଛକା ଏବଂ ୨ଟି ଚୌକା ସାମିଲ ଥିଲା।

ଉର୍ଭିଲ୍ ଦିଗ୍ବେଶ ରାଠୀଙ୍କ ଗୋଟିଏ ଓଭରରେ ୩ଟି ଛକା ଓ ଗୋଟିଏ ଚୌକା ମାରି ଉର୍ଭିଲ୍ ୨୫ ରନ୍ ସଂଗ୍ରହ କରିଥିଲେ। ଏହାପରେ ଆଭେଶ ଖାନଙ୍କୁ କ୍ରମାଗତ ୩ଟି ଛକା ମାରିବା ସହ ଅଭିଜ୍ଞ ବୋଲର ମହମ୍ମଦ ସାମିଙ୍କୁ ମଧ୍ୟ ସେ ଛାଡ଼ି ନଥିଲେ।ଏହି ରେକର୍ଡ ସହିତ କେ.ଏଲ୍ ରାହୁଲ, ପ୍ୟାଟ୍ କମିନ୍ସ (୧୪ ବଲ୍) ଏବଂ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ (୧୫ ବଲ୍) ରେକର୍ଡକୁ ମଧ୍ୟ ଉର୍ଭିଲ୍ ପଛରେ ପକାଇ ଦେଇଛନ୍ତି।

ତେବେ ଏହି ସଫଳତା ପରେ ମଇଦାନରେ ଏକ ଭାବୁକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅର୍ଦ୍ଧଶତକ ପୂରଣ କରିବା ପରେ ଉର୍ଭିଲ୍ ନିଜ ପକେଟରୁ ଏକ କାଗଜ କାଢ଼ିଥିଲେ, ଯେଉଁଥିରେ ଲେଖାଥିଲା “This is for you Papa”। ସେ ନିଜର ଏହି ଐତିହାସିକ ରେକର୍ଡକୁ ନିଜ ବାପାଙ୍କୁ ଉତ୍ସର୍ଗ କରିଛନ୍ତି।
