ଇନଷ୍ଟାଗ୍ରାମ ପ୍ରେମରୁ ଜଘନ୍ୟ ହତ୍ୟା ! ଟଙ୍କା ମାଗୁଥିଲେ ପ୍ରେମିକା, ନ ଦେବାରୁ ହତ୍ୟା କରି ପୋଡ଼ିଦେଇଥିବା ଅଭିଯୋଗ। ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ ମିଳିଥିବା ଯୁବକଙ୍କ ଦରପୋଡ଼ା ମୃତଦେହ ଘଟଣାରେ ଆସିଛି ନୂଆ ମୋଡ଼। ପରିବାର ଲୋକେ ଏହାକୁ ପ୍ରେମ ଜନିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଚାଲାଇଛନ୍ତି।ନୟାଗଡ଼ ଜିଲ୍ଲା ଗଣିଆ ଥାନା ବାଲିସାହି ଗାଁ ନିକଟ ରାସ୍ତା କଡରୁ ଏକ ଦରପୋଡ଼ା ମୃତଦେହ ଉଦ୍ଧାର ହୋଇଥିଲା। ପରେ ମୃତକଙ୍କୁ କନ୍ଧମିଗିରୀ ଗାଁର ୧୮ ବର୍ଷୀୟ ସଞ୍ଜୟ ପ୍ରଧାନ ବୋଲି ଚିହ୍ନଟ କରାଯାଇଥିଲା। ତେବେ ଏହି ଘଟଣା ପଛରେ ରହିଛି ଇନଷ୍ଟାଗ୍ରାମ ପ୍ରେମର କଳା କାହାଣୀ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ।

ପରିବାରର ଅଭିଯୋଗ ଅନୁସାରେ, ବାଲିସାହି ଗାଁର ଜଣେ ବିବାହିତ ମହିଳାଙ୍କ ସହ ସଞ୍ଜୟଙ୍କର ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ମହିଳା ଜଣକ ସବୁବେଳେ ସଞ୍ଜୟଙ୍କୁ ଟଙ୍କା ମାଗୁଥିଲେ। ହେଲେ ଟଙ୍କା ଦେବାକୁ ଅସ୍ୱୀକାର କରିବାରୁ ସଞ୍ଜୟଙ୍କୁ ହତ୍ୟା କରାଯାଇଥିବା ଏବଂ ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଡ଼ି ଫିଙ୍ଗିଦିଆଯାଇଥିବା ଅଭିଯୋଗ ହୋଇଛି।
ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ନ୍ୟାୟ ଦାବିରେ ଗ୍ରାମବାସୀ ରାସ୍ତା ରୋକ କରିଥିଲେ। ସେପଟେ ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହଯୋଗରେ ତଦନ୍ତ ଜାରି ରଖିଛି। ଘଟଣାର ସତ୍ୟାସତ୍ୟ କଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

