ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଅଭାବ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ବିଶେଷ କରି ଘାଟିକିଆ ଓ କଳ୍ପନା ଅଞ୍ଚଳର କେତେକ ପେଟ୍ରୋଲ ପମ୍ପରେ ତେଲ ନଥିବା ଖବର ପ୍ରଚାର ପାଇବା ପରେ ଲୋକେ ଭିଡ଼ ଜମାଇଛନ୍ତି। ବିଭିନ୍ନ ପେଟ୍ରୋଲ ପମ୍ପରେ ଗାଡ଼ି ଧରି ଲୋକମାନେ ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖାଯାଇଛି।
ଅଭିଯୋଗ ହେଉଛି ଯେ, କେତେକ ପମ୍ପରେ ତେଲ ବିକ୍ରିରେ ସୀମାବଦ୍ଧତା ଲଗାଯାଇଛି। ଦୁଇଚକିଆ ଗାଡ଼ିକୁ କେବଳ ୨୦୦ ଟଙ୍କା ଓ ତିନିଚକିଆ ଏବଂ ଚାରିଚକିଆ ଗାଡ଼ିକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ତେଲ ଦିଆଯାଉଥିବା କୁହାଯାଉଛି।

ଏହି ପରିସ୍ଥିତିକୁ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସ୍ପଷ୍ଟ କରିଛନ୍ତି ଯେ, ଦେଶରେ କୌଣସି ତେଲ ସଙ୍କଟ ନାହିଁ। ଡିପୋଗୁଡ଼ିକରେ ପ୍ରୟୋଜନୀୟ ପରିମାଣରେ ପେଟ୍ରୋଲ ଓ ଡିଜେଲ ମଜୁତ ରହିଛି। ଗୁଜବ ପ୍ରଚାର ହେତୁ ଲୋକେ ଅଧିକ ପରିମାଣରେ ତେଲ କିଣୁଥିବାରୁ କେତେକ ସ୍ଥାନରେ ଚାହିଦା ହଠାତ୍ ବଢ଼ିଯାଇଛି।
ରାଜ୍ୟରେ ପ୍ରାୟ ୩ ହଜାର ପେଟ୍ରୋଲ ପମ୍ପ ଥିବାବେଳେ କେବଳ ପ୍ରାୟ ୧୦୦ଟି ପମ୍ପରେ ସାମୟିକ ଭାବେ ତେଲ ସମସ୍ୟା ଦେଖାଦେଇଛି। ସଞ୍ଜୟ ଲାଠ କହିଛନ୍ତି, ସନ୍ଧ୍ୟା ସୁଦ୍ଧା ସମସ୍ତ ପମ୍ପକୁ ସାଧାରଣ ଭାବେ ତେଲ ଯୋଗାଣ ଆରମ୍ଭ ହେବ।
ସେ ଆହୁରି କହିଛନ୍ତି ଯେ, କେତେକ ଜିଲ୍ଲାରେ ପରିବହନ ସମସ୍ୟା ଯୋଗୁଁ ଅସୁବିଧା ସୃଷ୍ଟି ହୋଇଛି। କିନ୍ତୁ ପରିବହନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଲେ ଆନ୍ଧ୍ରପ୍ରଦେଶ ପରି ପରିସ୍ଥିତି ଓଡ଼ିଶାରେ ସୃଷ୍ଟି ହେବ ନାହିଁ। କୌଣସି ଜିଲ୍ଲାରେ ତେଲ ସଙ୍କଟ ହେବାର ଆଶଙ୍କା ନାହିଁ।

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପେଟ୍ରୋଲ କମ୍ ବ୍ୟବହାର କରିବାକୁ ଆହ୍ୱାନ ପରେ ପେଟ୍ରୋଲ ମିଳିବ ନାହିଁ ଓ ଦର ବଢ଼ିବ ବୋଲି ଗୁଜବ ପ୍ରଚାର ହେଉଛି। ଏହା ଲୋକଙ୍କ ମଧ୍ୟରେ ଭୟର ପରିସ୍ଥିତି ସୃଷ୍ଟି କରିଛି।
ସଞ୍ଜୟ ଲାଠ କହିଛନ୍ତି ଯେ, ସେ ତେଲ କମ୍ପାନୀ ଓ ଓଇଲ୍ କୋ-ଅର୍ଡିନେସନ ସହ ଆଲୋଚନା କରିବେ। ଆସନ୍ତା ଦୁଇ ଦିନ ମଧ୍ୟରେ ପରିସ୍ଥିତି ସମ୍ପୂର୍ଣ୍ଣ ସାଧାରଣ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

