କମିଯିବ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା
ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରେ। ବିଶେଷ କରି ୩୦ରୁ ୪୦ ବର୍ଷ ପରେ ଅନେକେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା, ଗଣ୍ଠି ଜାମ୍ ହେବା ଓ ଚାଲିବାରେ ଅସୁବିଧା ଅନୁଭବ କରନ୍ତି। ଏହାର ପ୍ରମୁଖ କାରଣ ହେଉଛି ଶରୀରରେ କ୍ୟାଲସିୟମ ଓ ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବ। କିନ୍ତୁ ଆମ ଘରୋଇ ଖାଦ୍ୟରେ କିଛି ପୌଷ୍ଟିକ ଦେଶୀ ଖାଦ୍ୟ ସାମିଲ କରି ହାଡ଼କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମଜବୁତ ରଖିହେବ। ଆସନ୍ତୁ ଜାଣିବା ସେମିତି କିଛି ଶକ୍ତିଶାଳୀ ଖାଦ୍ୟ ବିଷୟରେ।
ସୋୟା ଖାଦ୍ୟ

ଶାକାହାରୀମାନଙ୍କ ପାଇଁ ସୋୟାରୁ ତିଆରି ଖାଦ୍ୟ ଅତ୍ୟନ୍ତ ଲାଭଦାୟକ। ଟୋଫୁ ଓ ସୋୟା କ୍ଷୀରରେ କ୍ୟାଲସିୟମ ସହ ପ୍ରଚୁର ପ୍ରୋଟିନ ରହିଥାଏ। ଏହା ହାଡ଼କୁ ମଜବୁତ କରିବା ସହ ମାଂସପେଶୀକୁ ମଧ୍ୟ ସୁଦୃଢ଼ କରେ। ସେଥିପାଇଁ ଏହି ଖାଦ୍ୟ ହୃଦୟ ପାଇଁ ମଧ୍ୟ ଭଲ ବୋଲି ମନାଯାଏ।
ସବୁଜ ପନିପରିବା
ପାଳଙ୍ଗ ଶାଗ, ବନ୍ଧାକୋବି, ବ୍ରୋକୋଲି ଓ ଫୁଲକୋବି ଭଳି ପନିପରିବାରେ କ୍ୟାଲସିୟମ ଓ ମିନେରାଲ୍ସ ଭରପୂର ରହିଥାଏ। ଏହା ହାଡ଼ କ୍ଷୟକୁ ରୋକିବାରେ ସହାୟକ। ନିୟମିତ ଭାବେ ଏହି ସବୁଜ ପନିପରିବା ଖାଇଲେ ହାଡ଼ର ଘନତା ବୃଦ୍ଧି ପାଏ।
କ୍ଷୀର ଓ ଦୁଗ୍ଧଜାତ ଖାଦ୍ୟ

କ୍ଷୀର, ଦହି ଓ ପନିର ହାଡ଼ ପାଇଁ ସବୁଠାରୁ ଭଲ ଖାଦ୍ୟ ମଧ୍ୟରୁ ଗୋଟିଏ। ଏଗୁଡ଼ିକ ଶରୀରକୁ ପ୍ରଚୁର କ୍ୟାଲସିୟମ ଯୋଗାଇଥାଏ। ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର କିମ୍ବା ଗୋଟିଏ ପାତ୍ର ଦହି ଖାଇବା ହାଡ଼କୁ ମଜବୁତ ରଖିବାରେ ବହୁତ ସାହାଯ୍ୟ କରେ।
ବାଦାମ
ବାଦାମରେ କ୍ୟାଲସିୟମ, ପ୍ରୋଟିନ ଓ ସୁସ୍ଥ ଚର୍ବି ପ୍ରଚୁର ପରିମାଣରେ ଥାଏ। ପ୍ରତିଦିନ ୫ରୁ ୮ଟି ଭିଜା ବାଦାମ ଖାଇବା ହାଡ଼ ଓ ମାଂସପେଶୀକୁ ଶକ୍ତିଶାଳୀ କରେ। ବାଦାମ କ୍ଷୀର ମଧ୍ୟ ଏକ ଉତ୍ତମ ବିକଳ୍ପ।
ଛୋଟ ଛୋଟ ପୋଷ୍ଟିକ ଦାନା
ନାଣ୍ଡି ବଗୁଲି, ପୋସ୍ତକ ଦାନା ଓ ଅଳସୀ ଭଳି ଦାନାଗୁଡ଼ିକ ପୋଷକର ଭଣ୍ଡାର। ଏଗୁଡ଼ିକରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଫାଇବର ଭରପୂର ରହିଥାଏ। ଏହା ହାଡ଼ର ବୃଦ୍ଧି ଓ ଶକ୍ତିକୁ ବଢ଼ାଇଥାଏ।ତେଣୁ, ଯଦି ଆପଣ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣାରୁ ଦୂରେ ରହିବାକୁ ଓ ହାଡ଼କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମଜବୁତ ରଖିବାକୁ ଚାହୁଁଛନ୍ତି, ତେବେ ଆଜିଠାରୁ ଏହି ପୌଷ୍ଟିକ ଦେଶୀ ଖାଦ୍ୟକୁ ଆପଣଙ୍କ ଦୈନିକ ଖାଦ୍ୟରେ ସାମିଲ କରନ୍ତୁ। ସୁସ୍ଥ ଖାଦ୍ୟ, ସୁସ୍ଥ ଜୀବନ।

