ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସଙ୍କଟ ସ୍ଥିତି ଭିତରେ ଦେଶବାସୀଙ୍କୁ ବଡ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ପେଟ୍ରୋଲ ଡିଜେଲର ବ୍ୟବହାର କମ କରିବାକୁ ହେବ। ସେଥିପାଇଁ ଯେଉଁଠି ମେଟ୍ରୋ ଅଛି ତାର ଉପଯୋଗ କରନ୍ତୁ। କାର ପୁଲ୍ ବ୍ୟବସ୍ଥା କରନ୍ତୁ। ସର୍ବସାଧାରଣ ପରିବହନ ବ୍ୟବସ୍ଥା ଆପଣାନ୍ତୁ। କୌଣସି ସାମଗ୍ରୀ ପଠାଇବାର ଥିଲେ ରେଲୱେ ଗୁଡ୍ସ ଟ୍ରେନରେ ପଠାନ୍ତୁ। ଇଭି ଗାଡିର ଅଧିକ ବ୍ୟବହାର କରନ୍ତୁ। କରୋନା ସମୟରେ ଭିଡ଼ିଓ କନଫରେନ୍ସିଂ ଏବଂ ଅନଲାଇନ ବ୍ୟବସ୍ଥା କରାଯାଇଥିଲା। ସେହି ବ୍ୟବସ୍ଥାକୁ ଏବେ ପୁଣି ଥରେ ଆରମ୍ଭ କରାଯାଉ। ୱାର୍କ ଫ୍ରମ୍ ହୋମ, ଭର୍ଚୁଆଲ୍ ମିଟିଂ ଏବଂ ଅନଲାଇନ କନଫରେନ୍ସିଂକୁ ପୁଣି ଥରେ ପ୍ରାଥମିକତା ଦେବାକୁ ପଡ଼ିବ।
ବିଦେଶୀ ମୁଦ୍ରା ସଂଞ୍ଚୟ ପାଇଁ ବି ଗୁରୁତ୍ବ ଦେବାକୁ ପଡ଼ିବ। ତେଣୁ ବର୍ଷେ ପାଇଁ ବିଦେଶ ଯାଆନ୍ତୁ ନାହିଁ। ସୁନାରେ ବହୁ ବିଦେଶୀ ମୁଦ୍ରା ଖର୍ଚ୍ଚ ହୁଏ ତେଣୁ ବର୍ଷେ ଯାଏଁ କୌଣସି କାର୍ଯ୍ୟ ପାଇଁ ବି ସୁନା କିଣିବା ନାହିଁ। ବିଦେଶୀ ମୁଦ୍ରା ବଞ୍ଚାଇବା ଆମ ପାଇଁ ବଡ଼ ଆହ୍ବାନ। ସେହିପରି ଖାଇବା ତେଲ ପାଇଁ ବି ଖର୍ଚ୍ଚ କରିବାକୁ ପଡୁଛି। ତେଣୁ ଖାଦ୍ୟରେ ତେଲ ବ୍ୟବହାର କମାନ୍ତୁ। ରାସାୟନିକ ସାର ବଦଳରେ ଜୈବିକ ଚାଷ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

